ପ୍ରବନ୍ଧ ଛାତ୍ରଜୀବନ ଓ ଶୃଙ୍ଖଳା
ଉପକ୍ରମ :-
ସକଳ ପ୍ରକାରର କୃତିତ୍ଵ ମୂଳରେ ଶୃଙ୍ଖଳା ବିଦ୍ୟମାନ । ସମସ୍ତ ପ୍ରକାରର ସଂଗଠନ ଓ ସୁଗଠନ ନିମିତ୍ତ ଶୃଙ୍ଖଳା ଆବଶ୍ୟକ ; ତେଣୁ ଶୃଙ୍ଖଳା ଜ୍ଞାନ ଓ ଶୃଙ୍ଖଳା ଅଭ୍ୟାସ ପ୍ରତ୍ୟେକଙ୍କ ପକ୍ଷରେ ଉପାଦେୟ। ଛାତ୍ରଜୀବନ ଶିକ୍ଷା ସଂଗଠନର ସମୟ । ଏହି ସମୟ ମଧ୍ୟରେ ମଣିଷ ନିଜର ଭବିଷ୍ୟତ ଲାଗି ତାଲିମ ଗ୍ରହଣ କରେ। ଦେଶ, ଜାତି ଓ ସମାଜ ଉପଯୁକ୍ତ ନାଗରିକ ଲାଭ କରିବା ଉଦ୍ଦେଶ୍ୟରେ ଶିକ୍ଷାନୁଷ୍ଠାନସବୁ ସ୍ଥାପନ କରି ସେଠାରେ ଛାତ୍ରମାନଙ୍କୁ ଶିକ୍ଷା ଓ ତାଲିମ ଦେଇ ଉପଯୁକ୍ତ କରନ୍ତି। ତେଣୁ ଛାତ୍ରଜୀବନ ହେଉଛି ମନୁଷ୍ୟ ପକ୍ଷରେ ଗୁରୁତ୍ଵପୂର୍ଣ୍ଣ। ଛାତ୍ରଜୀବନକୁ କୃତକାର୍ଯ୍ୟ କରିବା ନିମିତ୍ତ ଶୃଙ୍ଖଳାଜ୍ଞାନ ଓ ଶୃଙ୍ଖଳା ଅଭ୍ୟାସ ପ୍ରତ୍ୟେକ ଛାତ୍ର ପକ୍ଷରେ ଏକାନ୍ତ ଆବଶ୍ୟକ। ଛାତ୍ରଜୀବନ ନିମିତ୍ତ ଶୃଙ୍ଖଳାର ଆବଶ୍ୟକତା ଏତେ ବେଶି ଯେ, ଶୃଙ୍ଖଳାହୀନ ଛାତ୍ରଜୀବନର କଳ୍ପନା କରିହୁଏ ନାହିଁ । ଛାତ୍ରଜୀବନର ପ୍ରତି ମୁହୂର୍ଭରେ କଠୋର ଶୃଙ୍ଖଳା ସର୍ବୋଦୌ ବାଞ୍ଛନୀୟ।
ଅଧ୍ୟୟନରେ ଶୃଙ୍ଖଳା :-
ଅଧ୍ୟୟନ ଓ ବିଦ୍ୟାଭ୍ୟାସ କରି ଜ୍ଞାନ ଅର୍ଜନ କରିବା ଛାତ୍ରଜୀବନର ଏକ ପ୍ରଧାନ ଲକ୍ଷ୍ୟ। ଏହି ଅଧ୍ୟୟନ ଓ ବିଦ୍ୟାଭ୍ୟାସ ଶୃଙ୍ଖଳାର ସୁଦୃଢ଼ ଭିଭି ଉପରେ ଦଣ୍ଡାୟମାନ ହେବା ଆବଶ୍ୟକ। ଛାତ୍ରମାନେ ନିୟମିତ ଭାବରେ ଏବଂ ସମୟାନୁବର୍ତୀ ଭାବରେ ଅଧ୍ୟୟନ ଓ ବିଦ୍ୟାଭ୍ୟାସ କରିବେ । ନିୟମାନୁବର୍ତ୍ତିତା ଓ ସମୟାନୁବର୍ଜିତା ଶୃଙ୍ଖଳା ଗୁଣର ଦୁଇଟି ପ୍ରଧାନ ଅଙ୍ଗ। ଶିକ୍ଷକ ଯେଉଁ ପାଠ ଘରେ ପଢ଼ିବାକୁ ଓ ଲେଖିବାକୁ ଦେବେ, ଛାତ୍ରମାନେ ସେସବୁ ଯଥାରୀତିରେ ଓ ଯଥାସମୟରେ କରିବେ।
ଶ୍ରେଣୀଗୃହରେ ଶୃଙ୍ଖଳା: –
ଛାତ୍ରମାନେ ଶ୍ରେଣୀଗୃହର ସମସ୍ତ ନିୟମ ମାନି ଚଳିବେ। ନିର୍ଦ୍ଦିଷ୍ଟ ନିୟମ ମାନି ଚଳିବା, ଉପରିସ୍ଥ କର୍ମଚାରୀ ଓ ଶିକ୍ଷକମାନଙ୍କ ଆଦେଶ ମାନି ଚଳିବା ଶୃଙ୍ଖଳାର ଗୋଟିଏ ପ୍ରଧାନ ଅଙ୍ଗ। ଶ୍ରେଣୀଗୃହରେ ଛାତ୍ରମାନେ ଆଗତ ଶିକ୍ଷକଙ୍କୁ ଦଣ୍ଡାୟମାନ ହୋଇ ସମ୍ମାନ ପ୍ରଦାନ କରିବେ ଏବଂ ତାଙ୍କର ଅନୁମତି ପରେ ଆସନ ଗ୍ରହଣ କରିବେ। ଶିକ୍ଷକ ଯାହା ପଢ଼ାଇବେ ସେସବୁ ଛାତ୍ରମାନେ ମନୋଯୋଗପୂର୍ବକ ଶ୍ରବଣ କରିବେ। ଶ୍ରେଣୀରେ କୌଣସି ପ୍ରକାରର ଗଳ୍ପ ବା ଗଣ୍ଡଗୋଳ କରିବେ ନାହିଁ । ନିଜର ଭ୍ରମ ଦୂରୀକରଣ ନିମନ୍ତେ ଦଣ୍ଡାୟମାନ ହୋଇ ଶିକ୍ଷକଙ୍କ ଅନୁମତି ନେଇ ପ୍ରଶ୍ନ ପଚାରିବେ।
ଥରକେ ଜଣେ ଛାତ୍ର ପଚାରିବେ ଏବଂ ତାହା ଆଲୋଚିତ ହେଲାବେଳେ ଅନ୍ୟମାନେ ଧୀରସ୍ଥିର ଭାବରେ ଶ୍ରବଣ କରିବେ। ଶିକ୍ଷକ ଶ୍ରେଣୀଗୃହ ଛାଡ଼ିଲାବେଳେ ଛାତ୍ରମାନେ ଦଣ୍ଡାୟମାନ ହୋଇ ତାଙ୍କୁ ସମ୍ମାନିତ କରିବେ ।
କ୍ରୀଡ଼ାଭୂମିରେ ଶୃଙ୍ଖଳା :-
ଛାତ୍ରମାନେ କ୍ରୀଡ଼ାଭୂମିର ସମସ୍ତ ନିୟମ ମାନି ଚଳିବେ। କ୍ରୀଡାଭୂମିର ଶୃଙ୍ଖଳା ମାନି ଇଂଲଣ୍ଡର ନ୍ୟାରୋ ଏବଂ. ଇଟନ୍ ସ୍କୁଲ୍ର ଛାତ୍ରମାନେ ଭବିଷ୍ୟତ ଜୀବନରେ ବଡ଼ ବଡ଼ ଶାସକ ଓ ସେନାପତି ହୋଇପାରିଛନ୍ତି; . ତେଣୁ କ୍ରୀଡାଭୂମିର ଶୃଙ୍ଖଳା ମାନିବା ଛାତ୍ରଜୀବନରେ ଏକାନ୍ତ ଆବଶ୍ୟକ। କ୍ରୀଡ଼ାଭୂମିରେ କୌଣସି ନିୟମରଙ୍ଗ କରିବା ଅନୁଚିତ। ଦର୍ଶକଭାବରେ ଉପସ୍ଥିତ ଥିଲେ ଦର୍ଶକର ସୌଜନ୍ୟ ରକ୍ଷା କରିବା ଉଚିତ। କ୍ରୀଡାରତ ଛାତ୍ର, ଉପସ୍ଥିତ ମଧ୍ୟସ୍ଥ ବା ରେଫରୀଙ୍କ ଆଦେଶ ପାଳନ କରିବାକୁ ସର୍ବଦା ପ୍ରସ୍ତୁତ ରହିବା ଦରକାର।
ନିତ୍ୟକର୍ମରେ ଶୃଙ୍ଖଳା :--
ଛାତ୍ରମାନଙ୍କର ନିତ୍ୟକର୍ମ ଶୃଙ୍ଖଳାବଦ୍ଧ ହେବା ବିଧେୟ। ସେମାନେ ପ୍ରତ୍ୟହ ପ୍ରତ୍ୟୁଷରୁ ଶଯ୍ୟାତ୍ୟାଗ କରି ଈଶ୍ବରଙ୍କୁ ଧ୍ୟାନ କରିବେ। ତତ୍ପରେ ଦନ୍ତମାର୍ଜନ ଓ ମଳତ୍ୟାଗ କରି ଶାରୀରିକ ବ୍ୟାୟାମ କରିବେ। ତତ୍ପରେ ଶୀତଳ ଜଳରେ ସ୍ନାନାନ୍ତେ ସାମାନ୍ୟ ଲଘୁଭୋଜନ କରି ବିଦ୍ୟାସାଧନରେ ନିଜକୁ ନିୟୋଜିତ କରିବେ। ଭୋଜନ ପରେ କିଛି ସମୟ ବିଶ୍ରାମ କରି ବିଦ୍ୟାଳୟକୁ ଯିବେ। ବିଦ୍ୟାଳୟରୁ ଫେରି ହସ୍ତପଦ ପ୍ରକ୍ଷାଳନପୂର୍ବକ କିଛି ଲଘୁଭୋଜନ କରି କ୍ରୀଡ଼ା ନିମିତ୍ତ କ୍ରୀଡ଼ାଭୂମିକୁ ଯିବେ। ସନ୍ଧ୍ୟାରେ ପ୍ରାର୍ଥନା କଲା ପରେ ବିଦ୍ୟାଭ୍ୟାସ କରିବେ । ଯଥାସମୟରେ ଛାତ୍ରମାନେ ଭୋଜନ ସମାପ୍ତ କରି ନିଶ୍ଚିନ୍ତରେ ଶୟନ କରିବେ। ବିଦ୍ୟାଳୟରେ ଗ୍ରୀଷ୍ମକାଳୀନ ପ୍ରାତଃ ଅଧିବେଶନ କାଳରେ ଛାତ୍ରମାନେ ତଦନୁଯାୟୀ କାର୍ଯ୍ୟ ନିର୍ଘଣ୍ଟର ପରିବର୍ତ୍ତନ କରିବେ । ଛାତ୍ରମାନେ ନିଜର ଏହି ନିତ୍ୟକର୍ମଗୁଡ଼ିକ ପ୍ରତ୍ୟହ ଯଥାସମୟରେ ଓ ଯଥାରୀତିରେ ସମାପନ କରିବେ। ଖାଦ୍ୟପେୟର ମଧ୍ୟ ଶୃଙ୍ଖଳା ଆବଶ୍ୟକ। ବୃକୋଦର ଭାବରେ ଭୋଜନ ନ କରି ଶରୀରର ଆବଶ୍ୟକତା ଅନୁସାରେ ଭୋଜନ କରିବେ ।
ପରିପାଟୀରେ ଶୃଙ୍ଖଳା :-
ଛାତ୍ରମାନେ ନିଜକୁ ଓ ନିଜର ପୁସ୍ତକ ତଥା ଦ୍ରବ୍ୟାଦିକୁ ପରିଷ୍କାର ପରିଚ୍ଛନ୍ନ ରଖିବେ। 'ଛାତ୍ରମାନେ ଛାତ୍ରୋପଯୋଗୀ ପରିଚ୍ଛଦ ପରିଧାନ କରିବେ। ନିଜର ପୁସ୍ତକ ଉପକରଣ ଓ ଦ୍ରବ୍ୟାଦିକୁ ଯଥାସ୍ଥାନରେ ସଜ୍ଜିତ କରି ରଖିବେ। ବାକ୍ୟଳାପ, ଚାଲି, ଗତିବିଧି ଓ ଆଚରଣ ସବୁଥ୍ରେ ଶୃଙ୍ଖଳାର ସହିତ ଛାତ୍ରୋପଯୁକ୍ତ ପରିପାଟୀ ରକ୍ଷା କରିବେ ।
ପୂଜ୍ୟପୂଜାରେ ଶୃଙ୍ଖଳା –
ପିତା, ମାତା, ଶିକ୍ଷକ, ବୟସ୍କ ଓ ରାଜକର୍ମଚାରୀମାନେ ହେଉଛନ୍ତି ଛାତ୍ରମାନଙ୍କର ସମ୍ମାନର ପାତ୍ର। ଛାତ୍ରମାନେ ସେମାନଙ୍କୁ ଯଥାଯୋଗ୍ୟ ସମ୍ମାନ ପ୍ରଦର୍ଶନ କରିବେ। ଏହି ସମ୍ମାନ ପ୍ରଦର୍ଶନରେ ଅନିଚ୍ଛାଭାବ ଲୁକ୍କାୟିତ ରହିଲେ ଉକ୍ତ ଶୃଙ୍ଖଳା ଖର୍ବ ହେଲା ବୋଲି ଧରାଯିବ, କାରଣ ମନୋବୃତ୍ତିରେ ଶୃଙ୍ଖଳା ରହିବା ଆବଶ୍ୟକ।
ଚିନ୍ତାରେ ଶୃଙ୍ଖଳା :-
ଛାତ୍ରମାନଙ୍କର ଚିନ୍ତାଧାରାରେ ଶୃଙ୍ଖଳା ରହିବା ଆବଶ୍ୟକ। ବିଶୃଙ୍ଖଳାପୂର୍ଣ୍ଣ ଚିନ୍ତା ଛାତ୍ରର କାର୍ଯ୍ୟକଳାପରେ ପ୍ରକଟିତ ହୁଏ; ତେଣୁ ତା’ର କୌଣସି କାର୍ଯ୍ୟରେ ଶୃଙ୍ଖଳା ରହେ ନାହିଁ। ସୁତରାଂ ଛାତ୍ରମାନଙ୍କର ଉପଯୁକ୍ତ ପ୍ରଣାଳୀ ଓ ପଦ୍ଧତିରେ ଚିନ୍ତା କରି ଶିଖିବା ଉଚିତ। ଛାତ୍ରମାନଙ୍କର ସ୍ପଷ୍ଟ ଭାବରେ ଚିନ୍ତା କରିବା ଦରକାର। ଏହାକୁ ଇଂରାଜୀରେ (Clear thinking) ବୋଲି କହନ୍ତି। ଚିନ୍ତାରେ ଶୃଙ୍ଖଳା ରଖିପାରିଲେ ଛାତ୍ର ଏକ ଉଚ୍ଚକୋଟୀର ଛାତ୍ର ଭାବ..। ଗଣ୍ୟ ହେବ।
ଉପସଂହାର :-
ଛାତ୍ରଜୀବନରେ ଶୃଙ୍ଖଳାର ଆବଶ୍ୟକତା ସର୍ବବାଦୀସମ୍ମତ। ଏହି ଶୃଙ୍ଖଳା ନିମିତ୍ତ ଛାତ୍ରମାନଙ୍କର ଶୃଙ୍ଖଳା ଜ୍ଞାନ ଲାଭ କରିବା ଉଚିତ। କେବଳ ଶୃଙ୍ଖଳାଜ୍ଞାନ ଲାଭକଲେ ଯଥେଷ୍ଟ ହେଲା ନାହିଁ। ସେମାନଙ୍କର ଶୃଙ୍ଖଳା ଅଭ୍ୟାସ କରିବା ଉଚିତ। ଏବେ ନାନା ରାଜନୈତିକ ହଟଚମଟ ଓ ଧର୍ମଘଟ ଆଦି ଯୋଗୁଁ ଛାତ୍ରଜୀବନରେ ସମୂହ ଭାବରେ ବହୁ ବିଶୃଙ୍ଖଳା ଦେଖାଦେଉଛି। ଅବଶ୍ୟ ଏହି ଧରଣର ବିଶୃଙ୍ଖଳା ସାମୟିକ ଅଟେ। ତଥାପି ଏଗୁଡ଼ିକର କୁପ୍ରଭାବ ଦୀର୍ଘକାଳ ଧରି ତିଷ୍ଠି ରହିଛି; ତେଣୁ ଏଗୁଡ଼ିକରୁ ଦୂରରେ ରହି ଛାତ୍ରମାନେ ଯେପରି ଶୃଙ୍ଖଳା ଅଭ୍ୟାସ କରି ନିଜ ନିଜକୁ ଯୋଗ୍ୟ ଛାତ୍ର ଓ ଯୋଗ୍ୟ ନାଗରିକ ଭାବରେ ଗଠନ କରିବେ ସେଥୁପ୍ରତି ଚେଷ୍ଟିତ ହେବା ଉଚିତ।
*****